ଆଜିକାଲି ସମୟରେ ଯେଉଁଠି ସାମାନ୍ୟ କଥା ପାଇଁ ପ୍ରେମିକ ପ୍ରେମିକା ଅଲଗା ହୋଇଯାଇଛନ୍ତି ଏଭଳି ସମୟରେ ଏମିତି ବି କିଛି ଜଣ ଅଛନ୍ତି ଯିଏ ନିଜର ପ୍ରେମ ପାଇଁ ସବୁ କିଛି ତ୍ୟାଗ କରିଦେଉଛନ୍ତି। ଆଜି ଆମେ ପ୍ରେମର ଏଭଳି ଏକ ନିଆରା କାହାଣୀ କହିବୁ ଯାହା ଶୁଣିଲା ପରେ ଆପଣ ଆଶ୍ଚର୍ୟ୍ଯ ହେବେ। ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଥିବା ନିଜ ପ୍ରେମିକକୁ ଛାଡ଼ିଲା ନାହିଁ ପ୍ରେମିକା। ସାତ ବର୍ଷର ପ୍ରେମ ସମ୍ପର୍କ ପରେ ଧରିଲା ପ୍ରେମିକର ହାତ।
ସୂଚନା ଅନୁଯାୟୀ, ଦୀର୍ଘ ସାତ ବର୍ଷ ପୂର୍ବେ ଜଗତସିଂପୁରର ଏକ ସେଲୁନ ରେ ରହି କାର୍ଯ୍ୟ କରୁଥିଲେ ତାଳଚେର ବଜ୍ରକୋଟ ଗ୍ରାମର ଜିତେନ୍ଦ୍ର ବାରିକ। ସେହିଠାରେ ଥିବାବେଳେ ତାଙ୍କର ଦେଖା ହୋଇଥିଲା ଜଗତସିଂହପୁର ର ସ୍ୱପ୍ନାରାଣି ଙ୍କ ସହ। ଧୀରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ। ସେଠାରେ କିଛି ବର୍ଷ କାମ କରିବା ପରେ ଜିତେନ୍ଦ୍ର ସେ ଜାଗା ଛାଡି ନିଜ ଗାଆଁ ବଜ୍ରକୋଟକୁ ଚାଲି ଆସିଥିଲେ। ଆଉ ଘର ଠାରୁ କିଛି ଦୂର ଦେରିଙ୍ଗ ଜିନ୍ଦଲ ରେ ଶ୍ରମିକ ଭାବରେ କାର୍ଯ୍ୟ କରିଥିଲେ।
ହେଲେ ଦିନେ ହଠାତ୍ କାମ ସାରି ଘରକୁ ଫେରିବା ବାଟରେ ଜିତେନ୍ଦ୍ର ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ତଳେ ପଡ଼ିଯାଇଥିଲେ ଜିତେନ୍ଦ୍ର। ଆଉ ଟ୍ରକ୍ ଟି ତାଙ୍କର ଦୁଇ ଗୋଡ଼ ଉପରେ ଚଢ଼ି ଯାଇଥିଲା।ଭାଗ୍ୟ କୁ ଜିତେନ୍ଦ୍ର ତ ବଂଚିଗଲେ ହେଲେ ସବୁଦିନ ପାଇଁ ସେ ନିଜର ଦୁଇ ଗୋଡ଼ ହରାଇଦେଲେ।
କଥାଟା ଶୁଣିବା ମାତ୍ରେ ସିଧା ହସ୍ପିଟାଲ୍ କୁ ଧାଇଁଥିଲେ ପ୍ରେମିକା।ଦେଖିଲେ ସେ ଯାହାକୁ ଭଲ ପାଉଛି ସେ ବଞ୍ଚିଛି। ଆଉ ତା ଠାରୁ ଅଧିକ କିଛି ବି ଯେମିତି ଆବଶ୍ୟକ ନଥିଲା ତାଙ୍କ ପାଇଁ। ଗୋଡ଼ ଦୁଇ ନାହିଁ ଜାଣି ବି ସେ କିଛି ଚିନ୍ତା କରିନଥିଲେ ବରଂ ତାଙ୍କର ଭଲ ପାଇବା ଆହୁରି ବଢିଥିଲା।
ଏପଟେ ଜିତେନ୍ଦ୍ର ଙ୍କ ଘରେ ଥିଲେ କେବଳ ତାଙ୍କର ବୃଦ୍ଧା ମା। ପୁରା ଏଭଳି ଅବସ୍ଥା ଦେଖି ମନରେ ମନରେ କଣ ଭାବି ସେ ବି ଆରପାରିକୁ ଚାଲିଗଲେ। ଏବେ ଜିତେନ୍ଦ୍ର ଙ୍କ ଦେଖାଶୁଣା କରିବାକୁ ଆଉ କେହି ବି ନଥିଲେ। ମା ଙ୍କ କଥା ଜାଣିବା ପରେ ପ୍ରେମିକା ଜଣକ ଆଉ ନିଜକୁ ସମ୍ଭାଳି ପାରିନଥିଲେ। ଜିତେନ୍ଦ୍ର ଙ୍କ ଦେଖାଶୁଣା କରିବା ପାଇଁ ସ୍ଵପ୍ନାରାଣି ନିଜ ଘରେ ନିଜ ପ୍ରେମ କଥା କହିଥିଲେ।
କିନ୍ତୁ ଜିତେନ୍ଦ୍ର ଜଣେ ଦିବ୍ୟାଙ୍ଗ ଜାଣିବା ପରେ ସ୍ଵପ୍ନାରାଣିଙ୍କ ପରିବାର ବାହାଘର ପାଇଁ ମନା କରିଦେଇଥିଲେ। ହେଲେ ସ୍ଵପ୍ନା ସମସ୍ତଙ୍କ ବିରୁଦ୍ଧରେ ଯାଇ ଜିତେନ୍ଦ୍ର ଙ୍କୁ ବିବାହ କରିଥିଲେ। ଏବେ ସ୍ଵପ୍ନା ନିଜ ସ୍ବାମୀ ଜିତେନ୍ଦ୍ର ଙ୍କୁ ପିଠି ରେ ବୋହି କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ। ଆଉ ଜିତେନ୍ଦ୍ର ନିଜର ନିଃଶ୍ୱାସ ଚାଲିବା ଯାଏଁ ସ୍ତ୍ରୀ ଙ୍କୁ ଖୁସି ଦେବାକୁ ପ୍ରତିଶ୍ରୁତିବଦ୍ଧ।