ଓଡ଼ିଆ ଗୀତ ହେଉଛି ଓଡ଼ିଆ ସିନେମାର ହୃଦୟ। ଭଲ ଗୀତ ଟିଏ ହେଲେ ଫିଲ୍ମ ହିଟ୍ ହୁଏ। ଏହି ଓଡ଼ିଆ ଗୀତର ସ୍ୱର ସଂଯୋଜନା ରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ସୁମାନଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ପ୍ରେମାନନ୍ଦ। ତେବେ ବର୍ତ୍ତମାନ ସମୟ ରେ ପ୍ରେମାନନ୍ଦ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଓଡ଼ିଆ ଦର୍ଶକ ମାନଙ୍କୁ ନିଜ ସଙ୍ଗୀତ ରେ ମନ୍ତ୍ରମୁଗ୍ଧ କରିବା ପରେ ଏବେ ବଲିଉଡ ର ମାୟାନଗରୀ ରେ ନିଜର ସଙ୍ଗୀତର ଯାଦୁ ଦେଖାଇବାକୁ ଯାଉଛନ୍ତି ପ୍ରେମାନନ୍ଦ। ଖୁବ୍ ଶୀଘ୍ର ପ୍ରେମାନନ୍ଦ ବଲିଉଡ଼ ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିଜେ ଏକ ଇଣ୍ଟର୍ଭ୍ୟୁ ରେ ଏହି କଥାର ଖୁଲାସା କରିଛନ୍ତି। ଆଗାମୀ ୬ ମାସ ଭିତରେ ଦର୍ଶକ ମାନେ ବଲିଉଡ଼ ରେ ତାଙ୍କ ଗୀତ ଶୁଣିବାକୁ ପାଇବେ ବୋଲି କହିଛନ୍ତି।
କେବଳ ଏତିକି ନୁହେଁ, ଓଡ଼ିଶାରେ ତାଙ୍କୁ ଦର୍ଶକ ମାନଙ୍କ ଠାରୁ ଯେତିକି ଭଲ ପାଇବା ମିଳୁଛି ବଲିଉଡ ରେ ମଧ୍ୟ ତାଙ୍କୁ ସେତିକି ଭଲ ପାଇବା ମିଳିବ ବୋଲି ସେ କହିଛନ୍ତି। ସେ କହିଥିଲେ, “ସଙ୍ଗୀତ ହେଉଛି ମୋର ପ୍ରେମ। ଏହି ସଙ୍ଗୀତ ପାଇଁ ମୁଁ ଗାଆଁ ଛାଡ଼ି କଟକ ଆସିଥିଲି। ଆଉ ଏବେ ଏହି ପ୍ରେମ ପାଇଁ ମୁଁ ଆଉ ଗୋଟିଏ ସହରକୁ ଯାଉଛି।”
“ଓଡ଼ିଶା ମୋର ମାଟି ପାଣି ପବନ। ଓଡ଼ିଶାକୁ ମୁଁ କେବେ ବି ଛାଡ଼ି ପାରିବି ନାହିଁ। କି ଓଡ଼ିଶାର ଲୋକ ମାନେ ମତେ କେବେ ଛାଡ଼ି ପାରିବେ ନାହିଁ। ହେଲେ ଏବେ ମୋର ଫୋକସ ବଲିଉଡ ରେ ଅଛି” ବୋଲି ସେ କହିଛନ୍ତି। ତେବେ ଦର୍ଶକ ମାନେ ତାଙ୍କୁ ଓଡ଼ିଶାରେ ଯେତିକି ଭଲ ପାଇବା ଦେଉଥିଲେ ବଲିଉଡ ରେ ମଧ୍ୟ ସେତିକି ଭଲ ପାଇବା ଦେବେ ବୋଲି ସେ ଆଶାବାଦୀ।
ତେବେ ସୂଚନା ଯୋଗ୍ୟ ଯେ, ଓଡ଼ିଆ ସଙ୍ଗୀତ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ପ୍ରେମାନନ୍ଦ ଦାସ। ଓଡ଼ିଆ ଦର୍ଶକ ମାନଙ୍କୁ ସେ ଅନେକ ନୂଆ ଧରଣର ଗୀତ ଭେଟି ଦେଇଛନ୍ତି। ତାଙ୍କର ଗୀତ ସବୁକୁ ଶୁଣିବାକୁ ଲୋକ ମାନେ ବେଶ୍ ପସନ୍ଦ କରନ୍ତି। ତାଙ୍କୁ ଓଡ଼ିଆ ସଙ୍ଗୀତ ଦୁନିଆର ବୈଜ୍ଞାନିକ କହି ମଧ୍ୟ ସଂଵୋଧନ କରାଯାଏ। ତେବେ ପ୍ରେମାନନ୍ଦ ଙ୍କ ବଲିଉଡ଼ ଯାତ୍ରା ସଫଳ ହେଉ ବୋଲି ଆଶା ରଖିଛନ୍ତି ତାଙ୍କ ଫ୍ୟାନ୍ସ ମାନେ।