ହର ପଟ୍ଟନାୟକ! ଓଡ଼ିଆ ସିନେମା ଜଗତର ଏଭଳି ଏକ ନାଁ ଯାହା ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସରେ ସବୁଦିନ ପାଇଁ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଖଳନାୟକ ଭୂମିକାରେ ଦର୍ଶକ ମାନଙ୍କ ହୃଦୟ ଜିତି ଆସିଥିବା ହର ପଟ୍ଟନାୟକ ଏବେ ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଜୀବନ୍ତ ଅଭିନୟ ସର୍ବଦା ଦର୍ଶକ ମାନଙ୍କ ହୃଦୟରେ ବଞ୍ଚି ରହିବ।
ସେ ପରଦା ଉପରେ ଯେମିତ ଦମଦାର୍ ଖଳନାୟିକୀ ଦେଖାଇଥିଲେ, ଠିକ୍ ସେମିତି ପରଦା ପଛରେ ରହି ଅନେକ ହିଟ୍ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ଏକା ସାଙ୍ଗରେ ଜଣେ ନିର୍ଦ୍ଦେଶକ , ଅଭିନେତା ଓ ଚିତ୍ର ନାଟ୍ୟକାର ଥିଲେ। ୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ସେ ପାଖାପାଖି ୬୦ ଟି ଫିଲ୍ମ ରେ ଅଭିନୟ କରିଥିଲେ ଓ ୧୯ ଟି ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଥିଲେ।
୧୯୯୦ ମସିହାରେ ଓଲିଉଡ଼ ରେ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜୀବନ ସଂଗ୍ରାମ ଚଳଚ୍ଚିତ୍ର ଜରିଆରେ ହର ପଟ୍ଟନାୟକ ସିନେ ଜଗତରେ ପାଦ ଦେଇଥିଲେ। ଏହି ସିନେମା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ‘ଜୋର ଯାର ମୁଲକ ତାର’ ଚଳଚ୍ଚିତ୍ରରେ ଜବରଦସ୍ତ ଅଭିନୟ କରିବା ପରେ ଓଲିଉଡରେ ଜଣେ ନାମୀ ଖଳନାୟକ ବନିଥିଲେ ହର ପଟ୍ଟନାୟକ ।
ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଦଇବ ଦଉଡ଼ି। ଏହାପରେ ସେ ଆହୁରି ଅନେକ ଚଳଚ୍ଚିତ୍ର ରେ ନିର୍ଦ୍ଦେଶନା ଦେଇଥିଲେ। ସେଥି ମଧ୍ୟରୁ ‘କପାଳ ଲିଖନ’, ‘ଭାଗ୍ୟ ହାତେ ଡୋରି’, ‘ପୁଅ ମୋର ଭୋଳା ଶଙ୍କର’, ‘ ପରଦେଶୀବାବୁ ‘, ‘ସାଥିରେ’ , ‘ବର୍ଷା ମାଇଁ ଡାର୍ଲିଙ୍ଗ’ ଆଦି ତାଙ୍କର ସୁପରହିଟ ଚଳଚ୍ଚିତ୍ର ଥିଲା। ନିର୍ଦ୍ଦେଶକ ଭାବରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଓମ୍ ସାଇ ରାମ୍’।
ନାୟକ ଅପେକ୍ଷା ଖଳନାୟକ ଭାବରେ ତାଙ୍କର ଅଭିନୟ କୁ ଦେଖିବାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରୁଥିଲେ। ସହରୀ ବାଘ, ସୁନା ଚଢ଼େଇ, କୁରୁକ୍ଷେତ୍ର, ଛାତି ଚିରିଦେଲେ ତୁ, ପାଗଲାପ୍ରେମି, ଅଗ୍ନି ପରୀକ୍ଷା , ମୋ କୋଳ ତୋ ଝୁଲଣା ଆଦି ହର ପଟ୍ଟନାୟକଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ର ଅଟେ। ତେବେ ୨୦୧୫ ମସିହାରେ କର୍କଟ ରୋଗରେ ପୀଡିତ ହୋଇ ଅକାଳରେ ସେ ଆରପାରିକୁ ଚାଲି ଯାଇଥିଲେ।