ବ୍ରହ୍ମପୁର ସହରର ବହୁ ଚର୍ଚ୍ଚିତ କେ ଦୀପିକା ଓ ଦିନେଶ ଙ୍କ ବିବାଦ ବିଷୟରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜକୁ ପତ୍ନୀ ର ମାନ୍ୟତା ସହ ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ବ୍ରହ୍ମପୁର ଦେଶୀ ବେହେରା ସହି ସ୍ଥିତ ନିଜ ପ୍ରେମିକ ଦିନେଶ ର ଘର ବାରଣ୍ଡା ରେ ଦୀପିକା ଦୀର୍ଘ ଦିନ ଧରି ଧାରଣାରେ ବସି ରହିଛନ୍ତି। ହେଲେ ଏହା ପରେ ମଧ୍ୟ ଏହି ବିବାଦର କୌଣସି ସ୍ଥାୟୀ ସମାଧାନ ବାଟ ମିଳିପାରିନାହିଁ।
ଆଜକୁ ଦୀପିକା ଙ୍କ ଧାରଣା ୪୯ ଦିନରେ ପହଞ୍ଚିଥିଲେ ବି ଦୀପିକା ଙ୍କୁ ନ୍ୟାୟ ମିଳିନାହିଁ କି ତାଙ୍କ ପୁଅକୁ ଗ୍ରହଣ କରିନାହାଁନ୍ତି ଦିନେଶ। ସବୁଠୁ ନିରାଶ ହେବା ପରେ ଏବେ ଦୀପିକା ଙ୍କ ଶେଷ ଆଶା ହେଉଛନ୍ତି ମହାମହିମ ରାଷ୍ଟ୍ରପତି। ଯଦି ଦୀପିକା ନ୍ୟାୟ ନ ପାଆନ୍ତି ତେବେ ସେ ରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ ଏ ଘଟଣା ବିଷୟରେ ଅବଗତ କରାଇବା ସହିତ ତାଙ୍କ ଠାରୁ ନ୍ୟାୟ ଭିକ୍ଷା କରିବେ ବୋଲି କହିଛନ୍ତି। ଆଉ ତାଙ୍କର ବିଶ୍ୱାସ ଯେ ରାଷ୍ଟ୍ରପତି ମ୍ୟାଡାମ ନିଶ୍ଚୟ ଭାବରେ ତାଙ୍କୁ ନ୍ୟାୟ ଦେବେ।
ଆପଣ ଜାଣିଥିବେ ଗତ ଦୁଇ ଦିନ ତଳେ ଦୀପିକା ନିଜ ପୁଅ ଓ ମା ଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ଧରି ପହଞ୍ଚିଥିଲେ ମହିଳା କମିଶନରଙ୍କ କାର୍ଯ୍ୟାଳୟରେ। ଯାହା ସୂଚନା ମିଳିଥିଲା କି, ଆପୋଷ ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଓ ଦୀନେଶଙ୍କୁ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
ଏହିକ୍ରମରେ ଗତକାଲି ଦୀପିକା ମହିଳା କମିିଶନର କାର୍ଯ୍ୟାଳୟ ହାଜର ହୋଇଥିବା ବେଳେ ଦିନେଶ କିନ୍ତୁ ପହଞ୍ଚି ନଥିଲେ। ତେବେ ଦିନେଶ ନ ପହଞ୍ଚିବାରୁ ନିରାଶ ହୋଇ ପୁଣି ଥରେ ବ୍ରହ୍ମପୁର ଫେରି ଯାଇଥିଲେ ଦୀପିକା । ଅନ୍ୟପଟେ, ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ମହିଳା କମିଶନର ଙ୍କ ତରଫରୁ ଆସନ୍ତା ଅକ୍ଟୋବର ୧୩ ତାରିଖ ଧାର୍ଯ୍ୟ କରାଯାଇଛି।
ତେବେ ସବୁଠୁ ବଡ଼ କଥା ହେଉଛି, ଦୀନେଶ ଓ ତାଙ୍କ ପରିବାର ଏବେ କେଉଁଠି ତାହା କେହି ବି ଜାଣିନାହାନ୍ତି। ଦୀର୍ଘ ଦିନ ହୋଇଯିବ ତାଙ୍କ ଘରେ ତାଲା ଝୁଲୁଛି। ତେବେ ଆଗକୁ ମହିଳା କମିଶନର ଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ତାରିଖରେ ଏହି ବହୁ ଚର୍ଚ୍ଚିତ ମାମଲା ପୁଣି କେଉଁ ନୂଆ ମୋଡ଼ ନେଉଛି ତାହା ଦେଖିବା ବାକି ରହିଛି ।