କଥାରେ ଅଛି ଏ ସଂସାରରେ କେବଳ ବାପା ମା ନିଜ ଶିଶୁ କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି। ପିଲା ମାନଙ୍କର ସବୁ ଅଳୀ ଅଝଟ ପୁରା କରନ୍ତି। ବାପା ମା ଥିବା ପର୍ଯ୍ୟନ୍ତ ତାଙ୍କ ପିଲା ମାନଙ୍କର ସେ କୌଣସି ବି ଅସୁବିଧା ହେବାକୁ ଦିଅନ୍ତି ନାହିଁ। ତାଙ୍କରି ଛତ୍ରଛାୟା ରେ ପିଲା ଟିଏ ବଡ଼ ମଣିଷ ହୋଇଥାଏ। ହେଲେ ବିଧି ର ବିଧାନ ଆଗରେ ମଣିଷ ବା କଣ!! କେତେବେଳେ ବିଧାତା ନିଷ୍ଠୁର ହୋଇ ପିଲା ଠାରୁ ତା ବାପା ମା ଦୁହିଁଙ୍କୁ ଛଡାଇ ନିଏ।
ଆଉ ବାପା ମା ଙ୍କ ବିନା ପିଲାର ଅବସ୍ଥା ଯେ କଣ ହୁଏ ଆପଣ ଜାଣିଥିବେ। ଆଜି ଆମେ ଆପଣଙ୍କୁ ସେହିଭଳି ଦୁଇ ଭଉଣୀଙ୍କ ବିଷୟରେ କହିବୁ ଯାହାଙ୍କ କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରେ ବି ଲୁହ ରହିବନି। ବାପା ମା ଦୁହେଁ ଆରପାରିକୁ ଚାଲିଯିବା ପରେ ଏବେ ଏତେ ବଡ଼ ଦୁନିଆରେ ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ହୋଇଯାଇଛନ୍ତି ଏହି ଦୁଇ ଭଉଣୀ।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ହରଡଖୋଲ ପଞ୍ଚାୟତ ସାନଫବସି ଗାଆଁ ର ସ୍ୱର୍ଗତଃ ଜଳଧର ପୋଢ଼ ଙ୍କ ଦୁଇ ଝିଅ ପରମିତା ପୋଢ଼ ଓ ଅସ୍ମିତା ପୋଢ଼। ଗତ ୮ ବର୍ଷ ତଳେ ଜଳଧର ପୋଢ଼ ସ୍ତ୍ରୀ ଓ ନିଜର ଦୁଇ ଝିଅଙ୍କୁ ପର କରି ଆରପାରିକୁ ଚାଲି ଯାଇଥିଲେ। ବାପା ଚାଲିଯିବା ପରେ ବିଧବା ମା ଦୁଃଖକଷ୍ଟ କରି ଦୁଇ ଝିଅଙ୍କୁ ପାଳିପୋଷି ବଡ଼ ମଣିଷ କରିବାକୁ ଚେଷ୍ଟା କରିଥିଲେ।
ବଡ଼ ଝିଅ ଏବେ ଯୁକ୍ତ ଦୁଇ ପାସ କରିଥିବା ବେଳେ ସାନ ଝିଅ ଏବେ ନବମ ଶ୍ରେଣୀରେ ପାଠ ପଢୁଛି। ଏଇ କିଛି ଦିନ ତଳେ ମା ବାସନ୍ତୀ ପୋଢ଼ ମଧ୍ୟ ଆଖି ବୁଜି ଦେଇଛନ୍ତି। ଏତେ ବଡ଼ ଦୁନିଆରେ ନିଜର ବୋଲି ଏହି ଦୁଇ ଭଉଣୀ ଙ୍କର ଆଉ କେହି ବି ନାହାଁନ୍ତି । ମା ଯିବା ଦିନ ଠାରୁ ଘରେ ତାଙ୍କର ଚୁଲି ଅଜଳା। ବଞ୍ଚିବାକୁ ହେଲେ ଖାଇବାକୁ ପଡେ ତାହା ମଧ୍ୟ ଏହି ଦୁଇ ଝିଅ ଭୁଲି ଯାଇଛନ୍ତି।
ମା ଚାଲିଯିବା ପରେ ଦୁହେଁ ବଞ୍ଚିବେ କିଭଳି? କରିବେ କଣ? ଚଳିବେ କିଭଳି? କଣ ହେବ ଦୁହିଁଙ୍କ ଭବିଷ୍ୟତ? ଏଭଳି ଭାବି ଭାବି ସ୍ତବ୍ଧ ହୋଇଯାଇଛନ୍ତି ଦୁଇ ଭଉଣୀ। ଏହି ଦୁଇ ଭଉଣୀ ଙ୍କୁ ପ୍ରଶାସନ କିଛି ସାହାଯ୍ୟ କରୁ ବୋଲି ଆଶା କରିଛନ୍ତି ଗ୍ରାମ ବାସୀ।