ବିଜେପିର ବରିଷ୍ଠ ନେତା ତଥା ଧାମନଗରର ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପରଲୋକ। ଆଜି ସକାଳ ୭ ଟା ୪୫ ମିନିଟ ସମୟରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେଲା କିଡନ ରୋଗରେ ପୀଡିତ ହୋଇ ଏମସ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସକାଳ ସମୟରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଦିବଂଗତ ସେଠୀଙ୍କ ବିୟୋଗରେ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଯାଇଛି। ବାପାଙ୍କୁ ଝୁରି ଝୁରି ଝିଅ ଆଖିରୁ ଲୁହ ସୁଖୁନି। ଆଉ ପତ୍ନୀ ଙ୍କ ଅବସ୍ଥା କାନ୍ଦି କାନ୍ଦି ବେହାଲ।
ଦିବଂଗତ ସେଠୀ ଜଣେ ଓଡ଼ିଆ ସାହିତ୍ୟିକ ଏବଂ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ। ୨୦୦୦ ମସିହା ଓ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଚାନ୍ଦବାଲି ଓ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ବିଜେପିର ଜଣେ ବଡ଼ ନେତା ଏବଂ ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ପରିଚିତ ଥିଲେ ସେ। ତେବେ ଏଭଳି ଜଣେ ବିଶିଷ୍ଟ ନେତା ଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳି ଯାଇଛି।
ଦିବଂଗତ ସେଠୀ ଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, “ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ଜାଣି ମୁଁ ଗଭୀର ମର୍ମାହତ । ବିଷ୍ଣୁ ସେଠୀ ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ଲାଗି ସର୍ବଦା ସ୍ମରଣୀୟ ରହିବେ । ଏପରି ଦୁଃଖଦ ସମୟରେ ଶୋରସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।”
କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ , ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ଅନେକ ବରିଷ୍ଠ ନେତା ମଧ୍ୟ ଦିବଂଗତ ସେଠୀ ଙ୍କ ବିୟୋଗରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ଆନ୍ଧ୍ର ରାଜ୍ୟପାଳ ଟ୍ୱିଟ କରିଛନ୍ତି ଯେ, “ରାଜନୀତି ଓ ସାହିତ୍ୟଜଗତ ପାଇଁ ଏହା ଏକ ବିରାଟ ଶୂନ୍ୟସ୍ଥାନ । ଏହି ଦୁଃଖଦ ମୁହୁର୍ତ୍ତରେ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି। ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି”।