ପେନସିଲ୍ ମୁନ ଆଉ ରଙ୍ଗ ତୂଳୀର ସ୍ପର୍ଶ ରେ ଜୀବନ୍ତ ହୋଇ ଉଠୁଛି ଅନେକ ଫଟୋଚିତ୍ର। ପାଠ ପଢାରେ ଯେମିତି ଚିତ୍ରକଳା ରେ ବି ସେ ଠିକ୍ ସେମିତି। ବିନା କୌଣସି ପ୍ରଶିକ୍ଷଣ ରେ ବି ଖୁବ୍ ସୁନ୍ଦର ଚିତ୍ର ଅଙ୍କନ କରୁଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବଡରାହଯୋର ଗ୍ରାମର ଜନୈକ ଯୁବକ ସୁନିଲ ଭୋଇ। ତାଙ୍କ ଚିତ୍ର ଗୁଡ଼ିକ ଦେଖିବାକୁ ଖୁବ୍ ଜୀବନ୍ତ।
ପେନସିଲ୍ ମୁନରେ ଅତି ସୁନ୍ଦର ଭାବରେ ବିଭିନ୍ନ ଦେବାଦେବୀ , ସ୍ଵାଧୀନତା ସଂଗ୍ରାମୀ ଓ ସେଲିବ୍ରିଟି ମାନଙ୍କ ଫଟୋଚିତ୍ର ଆଙ୍କି ନିଜ ଅଞ୍ଚଳରେ ସେ ଏବେ ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ସୁନିଲ ଚିତ୍ର ମାଧ୍ୟମରେ ବଡ଼ ବଡ ଲୋକ ମାନଙ୍କର ଚିତ୍ର କରି ଖୁବ୍ ପ୍ରଶଂସା ସାଉଁଟୁଛନ୍ତି। ବିଭିନ୍ନ କ୍ରିକେଟ ଷ୍ଟାର, ଫିଲ୍ମ ଷ୍ଟାର ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନେତା ମାନଙ୍କର ସେ ଅବିକଳ ଚିତ୍ର ଅଙ୍କନ କରିପାରୁଛନ୍ତି।
ଏହି ସବୁକୁ ଦେଖିଲେ ଏଭଳି ମନେ ହେଉଛି ସତେ ଯେପରି ଏହା କୌଣସି ଦାମୀ ଡିଜିଟାଲ କ୍ୟାମେରା ରେ ଉଠାଯାଇଛି। କିନ୍ତୁ ତାହା ନୁହେଁ। ପେନସିଲ୍ ମୁନରେ ଆଉ ହାତର ଯାଦୁରେ ଏହି ଚିତ୍ର ସବୁ ବେଶ୍ ଜୀବନ୍ତ ମନେ ହେଉଛି। ସୁନିଲ ପିଲାଟି ବେଳୁ ହିଁ ଚିତ୍ରକଳା ପ୍ରତି ରୁଚି ରଖି ବିଭିନ୍ନ ପେନସିଲ୍ ମାଧ୍ୟମରେ ଅନେକ ଚିତ୍ର କରିବା ଆରମ୍ଭ କରିଥିଲେ।
ଯେତେବେଳେ ସେ ବଡ଼ ହେଲେ ସେତେବେଳେ ସେ ରଙ୍ଗ ତୂଳୀରେ ଚିତ୍ର କରିବା ମଧ୍ୟ ନିଜେ ନିଜେ ଶିଖିଲେ। ଆଉ ଖୁବ୍ ସୁନ୍ଦର ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଆପଣ ଯାହାଙ୍କର ବି ଚିତ୍ର କୁହନ୍ତୁ ନାଁ କାହିଁକି ଅତି କମ୍ ସମୟରେ ତାଙ୍କର ଚିତ୍ର ଆଙ୍କି ପାରୁଛନ୍ତି ସୁନିଲ। ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସୁନିଲ କାହାରି ଠାରୁ ବି ଚିତ୍ର କଳାର ପ୍ରଶିକ୍ଷଣ ନେଇନାହାନ୍ତି।
ସୁନିଲ ଜଣେ ଭଲ ଚିତ୍ରକର ସାଙ୍ଗକୁ ଜଣେ ମେଧାବୀ ଛାତ୍ର ମଧ୍ଯ। ପାଠ ପଢା ଓ ଚିତ୍ର ପାଇଁ ସେ ଅନେକ ଜାଗାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଭବିଷ୍ୟତ ରେ ଏହି କଳା କୁ ନେଇ ହିଁ ସେ ନିଜର ଭବିଷ୍ୟତ ଗଢ଼ିବାକୁ ଇଚ୍ଛା ରଖିଛନ୍ତି। ହେଲେ ଏ କ୍ଷେତ୍ରରେ ବାଧକ ସାଜିଛି ଆର୍ଥିକ ପରିସ୍ଥିତି। ପ୍ରଶିକ୍ଷଣ ପାଇଲେ ସୁନିଲ ଚିତ୍ରକଳା କ୍ଷେତ୍ରରେ ଆହୁରି ଆଗକୁ ବଢ଼ି ପାରିବେ ବୋଲି ଆଶା ରଖିଛନ୍ତି।