ରାତି ସାରା ଉପସ୍ଥିତ ରହି ରାସ୍ତା କାମର ନିଜେ ତଦାରଖ କଲେ କଟକ ମେୟର। ରାସ୍ତାରେ ଖାଇଲେ ରାସ୍ତାରେ ଶୋଇଲେ । ଆଉ ରାସ୍ତା କାମର ତଦାରଖ କରିବା ପାଇଁ ସାରା ରାତି ଅନିଦ୍ରା ବି ରହିଲେ। କଟକର ମେୟର ସୁବାସ ସିଂ କଟକ ସହରର ଚୌଧୁରୀ ବଜାର ରାସ୍ତାରେ ଗତକାଲି ରାତି କାଟିଛନ୍ତି।
ପାର୍ବଣର ଦିନ ନିକଟତର ହୋଇ ଆସିଲାଣି। ଆଉ ଦିନ କେଇଟା ପରେ କଟକର ଗଳି କନ୍ଦି ରେ ଅତି ଧୁମ୍ ଧାମ ରେ ପାଳନ ହେବ ଦୁର୍ଗାପୂଜା। ମା ଙ୍କ ଦର୍ଶନ ପାଇଁ ହଜାର ହଜାର ଲୋକ ମାନଙ୍କର ଭିଡ ଜମିବ କଟକ ସହରରେ। ଏଭଳି ସମୟରେ କଟକର ରାସ୍ତା କାମ ଯୁଦ୍ଧ କାଳୀନ ଭିତ୍ତି ରେ ଆଗକୁ ବଢ଼ାଉଛନ୍ତି କଟକ ମହାନଗର ନିଗମ।
ତେବେ କିଛି ଦିନ ହେବ କଟକ ଚୌଧୁରୀ ବଜାର ସ୍ଥିତ ରାସ୍ତା ଟି ତଳକୁ ଖସି ଯାଇଥିବା ହେତୁ ଲୋକ ମାନଙ୍କ ଗମନାଗମନ ରେ ଅନେକ ଅସୁବିଧା ଦେଖା ଦେଉଥିଲା। ତେଣୁ ଏହି ରାସ୍ତାର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ମେୟର ସୁବାସ ସିଂ। ମେୟର ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଚୌଧୁରୀ ବଜାର ସ୍ଥିତ ରାସ୍ତା ର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା।
ତେବେ ରାସ୍ତା କାମ ଚାଲିଥିବା ସମୟରେ ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଆସି ପହଁଚି ଥିଲେ ମେୟର ସୁଭାଷ ସିଂ। ରାସ୍ତା କାମ ନ ସରିବା ପର୍ଯ୍ୟନ୍ତ ସେ ସେଠାରୁ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ। ସେଠାରେ ରହି ସେ ମହାନଗର ନିଗମ ଯନ୍ତ୍ରୀ ଓ ଅଧିକାରୀ ଙ୍କ କାମକୁ ନିଜେ ତଦାରଖ କରିଥିଲେ। ସାରା ରାତି କର୍ମଚାରୀ କାମ କରିଥିଲେ ଆଉ ମେୟର ଜଗି ବସିଥିଲେ। କାମଟି କିଭଳି ସୂଚାରୁ ରୂପରେ ସମାପ୍ତ ହେବ ସେ ବିଷୟରେ ମଧ୍ୟ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।
ତେବେ ତାଙ୍କର ଅନୁଗାମୀ ମାନେ ଖାଇବା ଆଣି ଦେବାରୁ ସେ ରାସ୍ତାରେ ବସି ଖାଇଥିଲେ ଏବଂ ସେହି ସ୍ଥାନରେ ଖଟିଆ ପକାଇ ଶୋଇଥିଲେ। କଟକ ମେୟର ସୁଭାଷ ସିଂଙ୍କ ଏଭଳି କାର୍ଯ୍ୟ ପାଇଁ ଏବେ କଟକ ସହରର ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ମାନେ ମଧ୍ୟ ମେୟର ଙ୍କ ଏଭଳି କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି।