ଗତକାଲି ଓଡ଼ିଶାର ଘରେ ଘରେ ପାଳନ ହୋଇଛି ରାକ୍ଷୀ ପୂର୍ଣ୍ଣିମା। ନିଜର ସୁରକ୍ଷା କାମନା କରି ସବୁ ଭଉଣୀ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ହେଉଛି ଗୋଟିଏ ଭାଇ ଭଉଣୀ ଭିତରେ ସ୍ନେହ ଓ ପ୍ରେମର ବନ୍ଧନ। ଭାଇ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ରେ ନିଜ ଭଉଣୀ ର ଭଲ ମନ୍ଦରେ ତା ରକ୍ଷା କରିବ ବୋଲି କଥା ଦେଇଥାଏ।
ଏହି ରାକ୍ଷୀ ପୂର୍ଣ୍ଣିମା ହେଲେ ମନେ ପଡେ ଲୋକପ୍ରିୟ ଓଡ଼ିଆ ଗୀତ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ‘। ଏହି ଗୀତ ମନେ ପକେଇ ଦିଏ ରାକ୍ଷୀ ପୂର୍ଣ୍ଣିମାର ମହତ୍ୱ। ଗୋଟିଏ ଭାଇ ଭଉଣୀ ଭିତରେ ଥିବା ଅନାବିଳ ସମ୍ପର୍କ। ୨୦୦୬ ମସିହାରେ ରିଲିଜ୍ ହୋଇଥିବା ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ‘ ଚଳଚ୍ଚିତ୍ର ର ଏହି ଟାଇଟେଲ ଗୀତ ଟି ଖୁବ୍ ଲୋକପ୍ରିୟତା ହାସଲ କରିଥିଲା।
ଏହାରି ଭିତରେ ଅନେକ ରାକ୍ଷୀ ଗୀତ ଆସିଥିଲେ ବି ଏହି ଗୀତ ଏବେ ବି ଲୋକମାନଙ୍କର ପ୍ରଥମ ପସନ୍ଦ। ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦିବଂଗତ ଅଭିନେତା ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ। ଏହି ସିନେମାରେ ଗୋଟିଏ ଭାଇ ଓ ଭଉଣୀ ଭିତରେ ଥିବା ସମ୍ପର୍କ କୁ ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଥିଲା। ଏହି ସିନେମାରେ ଅନୁ ଚୌଧୁରୀ ଙ୍କ ଭାଇ ଭୂମିକାରେ ନଜର ଆସିଥିଲେ ମିହିର ଦାସ।
ତେବେ ମିହିର ଦାସ ଙ୍କ ସ୍ମୃତି କୁ ମନେ ପକାଇ ଗତକାଲି କାନ୍ଦି ପକାଇଥିଲେ ଅନୁ ଚୌଧୁରୀ। ପୁରୁଣା ସ୍ମୃତି କୁ ମନେ ପକାଇ ସେ କହିଥିଲେ, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏଭଳି ଏକ ସିନେମା ଯାହା ଭାଇ ଭଉଣୀ ଙ୍କ ସମ୍ପର୍କ କୁ ନେଇ ସମାଜକୁ ଏକ ମେସେଜ ଦେଇଗଲା। ଆଜି ବି ରାକ୍ଷୀ ପୂର୍ଣ୍ଣିମା ଆସିଲେ ଘରେ ଘରେ ଏହି ଗୀତ ବାଜେ। ଆଉ ସେହି ଗୀତ ଦେଖି ମୁଁ ମିହିର ଭାଇ ଙ୍କୁ ଫୋନ୍ କରି କୁହେ ଭାଇ ଦେଖ ସେହି ଗୀତ ଆଜି ବି ଲୋକ ମାନେ ମନେ ପକାଉଛନ୍ତି। ସେତେବେଳେ ବହୁତ ଖୁସି ଲାଗେ।’
‘ହେଲେ ଆଜି ମିହିର ଭାଇ ଆମ ମାନଙ୍କ ଗହଣରେ ନାହାଁନ୍ତି। ତାଙ୍କୁ ଭୁଲିବା ବହୁତ୍ କଷ୍ଟ, ତାଙ୍କ ଅଭିନୟକୁ ଭୁଲିବା ବହୁତ୍ କଷ୍ଟ। ଭଗବାନ ଙ୍କ ଆଶୀର୍ବାଦ ନଥିଲେ।ଏଭଳି ଜଣେ କଳାକାର ଜନ୍ମ ନେଇପାରିବେନାହିଁ। ଆଜିର ଦିନରେ ତାଙ୍କ କଥା ବହୁତ୍ ମନେ ପଡୁଛି।’