ଶ୍ରୀଚରଣ ମହାନ୍ତି ଓଡ଼ିଆ ସଙ୍ଗୀତ ଜଗତର ଏଭଳି ଏକ କଣ୍ଠଶିଳ୍ପୀ ଯିଏ ନିଜର କଣ୍ଠ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ବିଶେଷ କରି ଭଜନ, ଜଣାଣ ଓ ଆଧୁନିକ ଗୀତ ଗାଇ ସେ ଶ୍ରୋତା ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇପାରିଛନ୍ତି। ତାଙ୍କୁ ଆପଣମାନେ ପ୍ରତିଦିନ ଟିଭି ପରଦାରେ ଦେଖିବାକୁ ପାଉଥିବେ। ପ୍ରାର୍ଥନା ଚ୍ୟାନେଲ ରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଲୋକ ମାନଙ୍କର ପ୍ରିୟ ହୋଇପାରିଛନ୍ତି।
ଶ୍ରୀଚରଣ ମହାନ୍ତି ୧୯୭୯ ମସିହାରେ ଜଗତସିଂପୁର ଜିଲ୍ଲାର ଶ୍ରୀଜଙ୍ଗ ରେ ଜନ୍ମଗ୍ରହଣ କରିଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛୋଟ ବେଳୁ ଶ୍ରୀଚରଣ ଙ୍କ ସଙ୍ଗୀତ ପ୍ରତି ଥିବା ଆଗ୍ରହ ଜଣା ପଡିଯାଇଥିଲା। ଛୋଟ ବେଳୁ ସେ ଗାଆଁ ରେ ଅନୁଷ୍ଠିତ ଯାତ୍ରା କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଗୀତ ବୋଲି ସେ ଅନେକ ପ୍ରଶଂସା ସାଉଁଟୁଥିଲେ। ବାସୁଦେବପୁର ହାଇସ୍କୁଲ ରୁ ଉତିର୍ଣ୍ଣ ପରେ ସେ ପାରାଦୀପ କଲେଜ୍ ରେ ନାଁ ଲେଖାଇଥିଲେ।
ସେଠାରେ ଛାତ୍ର ନିର୍ବାଚନରେ ସେ ଡ୍ରାମାଟିକ ସେକ୍ରେଟାରୀ ଭାବରେ ନିର୍ବାଚିତ ହୋଇଥିଲେ। ଛୋଟ ବେଳୁ ବିନା କୌଣସି ପ୍ରଶିକ୍ଷଣ ରେ ଏତେ ଭଲ ଗୀତ ଗାଉଥିବା ଶ୍ରୀଚରଣ ଙ୍କୁ ଦିନେ ତାଙ୍କର ଜଣେ ସାଙ୍ଗ କ୍ୟାସେଟ୍ ରେ ଗୀତ ଗାଇବାକୁ ଚେଷ୍ଟା କର ବୋଲି କୁହନ୍ତି। ହେଲେ ଶ୍ରୀଚରଣ କଣ କରି ସେ ସ୍ଥାନରେ ପହଞ୍ଚିବେ ସେ ବିଷୟରେ ଜାଣିପାରନ୍ତି ନାହିଁ।
ହେଲେ ସେହି ସମୟରେ ଭାଗ୍ୟ ତାଙ୍କର ସାଥ ଦିଏ। ହଠାତ୍ ଶ୍ରୀଚରଣ ଓ ତାଙ୍କ ସାଙ୍ଗ ଏହି ବିଷୟରେ କଥା ହେଉଥିବା ସମୟରେ ତାଙ୍କ ଆଗ ଦେଇ ଯାଆନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ରୁଦ୍ର ନାରାୟଣ ମହାନ୍ତି। ରୁଦ୍ର ମହାନ୍ତି ଙ୍କ ପିଛା କରି ଶ୍ରୀଚରଣ ଯାଇ ପହଞ୍ଚନ୍ତି ଏକ ପାନ ଦୋକାନରେ। ସେଠାରେ ରୁଦ୍ର ମହାନ୍ତି ଙ୍କୁ ସବୁ କଥା କହିବା ପରେ ପାନ ଦୋକାନ ପଛ ପେଟ ତାଙ୍କ ଅଡିସନ୍ ହୁଏ।
ଶ୍ରୀଚରଣ ଙ୍କ ମୁହଁରୁ ସବୁ ରକମର ଗୀତ ଶୁଣିବା ପରେ ବେଶ୍ ଖୁସି ହୁଅନ୍ତି ରୁଦ୍ର ମହାନ୍ତି। ଶେଷରେ ସେ ଶ୍ରିଚରଣଙ୍କୁ ଏକ ତାରିଖ ଦେଇ ସେହି ଦିନ ଷ୍ଟୁଡିଓ ରେ ଆସି ଗୀତ ଗାଇବାକୁ କୁହନ୍ତି। ମା ଶାରଳାଙ୍କ ଏକ ଭଜନ କ୍ୟାସେଟ୍ ରୁ ଆରମ୍ଭ ହୋଇଥିଲା ଶ୍ରୀଚରଣ ଙ୍କ ସଙ୍ଗୀତ ଯାତ୍ରା।
ଶ୍ରୀଚରଣ ସଙ୍ଗୀତ ବ୍ୟତୀତ ଚିତ୍ରକଳାରେ ମଧ୍ୟ ବେଶ୍ ପାରଙ୍ଗମ ଥାଆନ୍ତି। ସେ ସମୟରେ ସେ ନିଜ ସାଙ୍ଗ ସରଣାରବିନ୍ଦଙ୍କ ଚିତ୍ରକଳା କୁ ନେଇ ନିଜ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ଭାଗ୍ୟ ରେ ଲେଖାଥିଲା ଆଉ କିଛି। ଚିତ୍ରକଳା କୁ ଛାଡ଼ି ସେ ପାଲଟିଗଲେ ସଙ୍ଗୀତ ଦୁନିଆର ଜଣେ ଜଣାଶୁଣା କଣ୍ଠଶିଳ୍ପୀ।