ଆଉ ନାହାଁନ୍ତି ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର। ରବିବାର ରାତିରେ ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ରବିବାର ରାତି ପ୍ରାୟ ୯ ଟା ପରେ ନିଜର ରାତ୍ରି ଭୋଜନ ସାରି ବିଶ୍ରାମ ନେଉଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅକ୍ସିଜେନର ସ୍ତର ହଠାତ୍ କମିଯାଇଥିଲା। ଏହାର କିଛି ସମୟ ମଧ୍ୟରେ ତାଙ୍କର ପରଲୋକ ଘଟିଥିଲା।
ତେବେ କହିରଖୁଛୁ, ୧୯୩୯ ମସିହା ଫେବୃଆରୀ ୧୬ ତାରିଖ ଦିନ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫୁଲ୍ଲ କର। ଛୋଟ ବେଳୁ ସଙ୍ଗୀତ ପ୍ରତି ତାଙ୍କର ଯଥେଷ୍ଟ ଆଗ୍ରହ ଥିଲା। ଓଡ଼ିଶାରେ ଓଡ଼ିଆ ସଙ୍ଗୀତର ବୀଜ ଅଙ୍କୁରୋପଣ କରିବାରେ ପ୍ରଫୁଲ୍ଲ କରଙ୍କ ରହିଛି ଅତୁଳନୀୟ ଅବଦାନ।
ଏକାଧାରରେ ସେ ଜଣେ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ଭାବେ ପରିଚିତ ଥିଲେ। ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତରେ ତାଙ୍କର ଥିଲା ଅନନ୍ୟ ପାରଦର୍ଶୀତା। ଗାୟନ କଳା ସହ ସଂଗୀତ ନିର୍ଦ୍ଦେଶନା ଓ ଗୀତ ରଚନାରେ ମଧ୍ୟ ସେ ଜୀବନ ବ୍ୟାପୀ ତପସ୍ୟା କରିଥିଲେ।
ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ।
କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।ଏଥି ସହିତ ୨୦୦୪ ମସିହାରେ ଜୟଦେଵ ପୁରସ୍କାର, ୨୦୦୯ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଏବଂ ୨୦୧୦ ମସିହାରେ ତାଙ୍କୁ ବାଳକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ପ୍ରଫୁଲ୍ଲ କର ଙ୍କୁ ମିଳିଥିଲା ଡିଲିଟ ଉପାଧି।
ତେବେ ବର୍ତ୍ତମାନ ତାଙ୍କ ପରଲୋକ ଖବର ପାଇବା ପରେ ସଙ୍ଗୀତ ଦୁନିଆ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ସଙ୍ଗୀତ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।