ଏବେ ଗ୍ରାମାଞ୍ଚଳ ମାନଙ୍କରେ ମହିଳା ମାନେ ନିଜେ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହେବା ପାଇଁ କିଛି ସଦସ୍ୟାଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ଏମାନେ ସ୍ଵଳ୍ପ ପରିମାଣର ଋଣ ନେଇ ଏକାଠି କାମ କରି ନିଜେ ନିଜକୁ ଆର୍ଥିକ ସ୍ଵଚ୍ଛଳତା ଦିଗରେ ଆଗେଇ ନେବାରେ ସାହାଯ୍ୟ କରିଥାନ୍ତି। ମହିଳା ମାନଙ୍କ ଏଭଳି ପ୍ରୟାସକୁ ସରକାର ମଧ୍ୟ ସ୍ବାଗତ ଜଣାଇଛନ୍ତି। ଅନେକ ଦିଗରେ ମହିଳା ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସରକାର। ମିଶନ ଶକ୍ତି ଜରିଆରେ ସରକାର ମହିଳା ମାନଙ୍କୁ କମ୍ ସୁଧରେ ଋଣ ପ୍ରଦାନ କରୁଛନ୍ତି।
ତେବେ ନିକଟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଥିବା ସମସ୍ତ ମିଶନ ଶକ୍ତିର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ୮୫ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ୍ ଓ ଗସ୍ତ ଖର୍ଚ୍ଚ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ପୋଷାକ ଭତ୍ତା ବାବଦରେ ବାର୍ଷିକ ୧୦୦୦ ଟଙ୍କା ସରକାର ଙ୍କ ତରଫରୁ ଯୋଗାଇ ଦିଆଯିବ। ଏହା ସହିତ ସବୁ କର୍ମଚାରୀ ମାନଙ୍କୁ ପରିଚୟ ପତ୍ର ମଧ୍ୟ ଯୋଗାଇ ଦିଆଯିବ। ନିଜର ମନ ପସନ୍ଦର ସ୍ମାର୍ଟ ଫୋନ୍ କିଣିବା ପାଇଁ ସମସ୍ତ ଗୋଷ୍ଠୀ କର୍ମଚାରୀ ମାନଙ୍କୁ ଏକକାଳୀନ ୫୦୦୦ ଟଙ୍କାର ସହାୟତା ଯୋଗାଇ ଦିଆଯିବ।
କେବଳ ଏତିକି ନୁହେଁ, ଏହା ସହିତ ସମସ୍ତ ସିଆରପି ଓ ସିଏମ୍ ଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ସହିତ ଗସ୍ତ ଖର୍ଚ୍ଚ ବାବଦକୁ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି ଟେଲିଫୋନ ଭତ୍ତା ବାବଦକୁ ସିଆରପି ଓ ସିଏମ୍ ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ। ଯାହା ଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ।
ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଆଗକୁ ନେବାରେ ପଞ୍ଚାୟତ ସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ପରିଶ୍ରମ କରିବା ଦିଗରେ ଅଧିକ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି।